Rebati Odia Story by Fakir Mohan Senapati – A Classic of Odia Literature
ଗଳ୍ପ ନାମ : ରେବତୀ
ଲେଖକ : ଫକୀର ମୋହନ ସେନାପତି
Rebati Odia Story by Fakir Mohan Senapati |
Rebati is a classic Odia story written by Fakir Mohan Senapati, often hailed as the father of modern Odia literature. First published in 1898, it holds a special place as the first-ever Odia short story.
Title: Rebati – A Story of Dreams and Destiny
Rebati tells the story of a young girl in a traditional Odia village who dreams of education in a conservative society. Her close bond with a teacher and her desire to learn are seen as unusual, even dangerous, when a cholera epidemic strikes. This story reflects the struggles around female education and societal change, with Rebati becoming a symbol of both hope and misfortune. However, the narrative focuses on her helplessness before fate rather than promoting any stance.
ରେବତୀ ଗଳ୍ପ
ଫକୀର ମୋହନ ସେନାପତି
କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ ନାମ ପାଟପୁର । ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଆଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରୀ ଚାଲିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡ ଦୁଆର ପଛକୁ ବାଡି ଦୁଆର । ଦାଣ୍ଡ ଦୁଆର ମେଲାଘରେ ଦାଣ୍ଡ ଲୋକ ବସା ଉଠା କରନ୍ତି, ପ୍ରଜା ମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି । ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା ଦୁଇ ଟଙ୍କା, ଦରମା ଛାଡି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦି ରୁ ଦୁଇ ପଇସା ହାତପୈଠ ହୁଏ । ସବୁ ମିଶାଇଲେ ମାସକୁ ଚାରି ଟଙ୍କାରୁ ଊଣା ହେବ ନାହିଁ, ସଂସାର ଏକରକମର ଚଳେ । ଏକରକମ କିଆଁ ? ବୋଇଲେ ଭଲ ଚଳେ । ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ । ବାଡ଼ିରେ ଶାଗ ମାଛ ଛାଡ଼ି ସଜନା ଦୁଇ ଗଛ । ଘରେ ଲଗାପଡ଼ିଆ ବରଷବିଆଣୀ ଗାଈ ଦୁଇଟା ବନ୍ଧା;ଦୁଧ ଟିକିଏ,ଚହ୍ଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ । ବୁଢ଼ୀ ଚଷ ମିଶାଇ ଘଷି ତାଡିଦିଏ, କାଠ କିଣା ବୋଧେ ନାହିଁ । ଜମିଦାର ସାଢ଼େ ତିନିମାଣ ଜମି ଚଷବାକୁ ଦେଇଛନ୍ତି, ଧାନ ବଳେ ନାହିଁ, କି କମେ ନାହିଁ । ଶ୍ୟାମବନ୍ଧୁଟି ବଡ ସିଧା ସଳଖ ଲୋକ, ପ୍ରଜାମାନେ ମାନନ୍ତି,ସୁଖ ପାନ୍ତି । ବାପରେ ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ, କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ । ପ୍ରଜା ମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ, ସେ ଚାରି ଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ଚାଳରେ ଗୁଞ୍ଜି ଦେଇଯାଏ । ଜମିଦାର ପିଆଦା ଆସିଲେ ଗାଁକୁ ଛଡେ ନାହିଁ, ଆପେ ହାତ ଓଠ ଧରି ଧୂଆଁଖିଆ ଦୁଇପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ । ଶ୍ୟାମବନ୍ଧୁ ଘରେ ଖାଇବାକୁ କୁଟୁମ୍ବ ଚାରିଜଣ, ଆପେ ଦୁଇ ପରାଣୀ, ମା ବୁଢୀ, ଦଶ ବରଷର ଗୋଟିଏ ଝିଅ । ଝିଅର ନାମ ରେବତୀ । ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି ‘କୃପାସିନ୍ଧୁ ବଦନ’ ଗାଏ, ଆଉ ଭଜନ ଗାଏ, କେବେ କେବେ କାଠ ରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ, ରେବତୀ ପାଖରେ ବସି ଶୁଣୁଥାଏ । ସେ ମୁହେଁ ମୁହେଁ ଢ଼େର ଭଜନ ଶିଖିଗଲାଣି, ତା ପିଲା ମୁହଁକୁ ଭଜନ ଗୁଡିକ ଖୁବ ମାନେ । ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁ ର କୌଣସି କୌଣସି ଲୋକ ଆସି ଶୁଣନ୍ତି । ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା ସେଇଟି ଗାଇଲେ ଶ୍ୟାମବନ୍ଧୁ ବଡ ଖୁସି ହୁଏ । ପ୍ରତିଦିନ ଝିଅକୁ ଗାଇବାକୁ କହେ, ରେବତୀ ଗାଏ-
କା’ଆଗେ କରିବି ଗୁହାରି ?
ତୁମ୍ଭେ ନ ଚାହିଁଲେ ନାଥ ଗରିବ ଯିବ ସରି
କର ବା ନ କର ତ୍ରାଣ, ପଦେ ସମର୍ପିଛି ପ୍ରାଣ ,
ହୃଦେ ଅଛି ତବ ନାମ ଧରି ।
ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ଏ ହରି ।
ଶୀତଳ କର ଜୀବନ ପ୍ରେମାମୃତ ଦାନକରି ।
ଦୁଇ ବରଷ ତଳେ ସ୍କୁଲ ଡ଼େଃ ଇନସପେକଟର ମଫସଲ ଗସ୍ତକୁ ଯିବା ସମୟରେ ପାତପୁରରେ ରାତିଏ ରହିଯାଇଥିଲେ । ଗ୍ରାମର ମୁଖିଆ ମୁଖିଆ କେତେ ଜଣ ଲୋକ କୁହାପୋଛା କରିବାରୁ ଦିପୋଟିବାବୁ ଓଡିଶା ବିଭାଗର ଇନସପେକଟର ଠାରୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ବସାଇ ଦେଇଅଛନ୍ତି । ଶିକ୍ଷକ ବେତନ ମାସକୁ ଚାରି ଟ । ଏହି ଚାରି ଟ ସରକାରରୁ ମିଳେ । ଏହା ଛଡା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି । ଶିକ୍ଷାକଟି କଟକ ନର୍ମାଲ ସ୍କୁଲର ଅବଧାନବିଭାଗର ଉତ୍ତୀର୍ଣ୍ଣ ଛାତ୍ର, ନାମ ବାସୁଦେବ । ନାମଟି ଯେପରି ବାସୁଦେବ ଲୋକଟା ମଧ୍ୟ ସେହିପରି ବାସୁଦେବ । ଟୋକାଟାର ଭିତର ବାହାର ସବୁ ସୁନ୍ଦର । ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ । ବୟସ ଅନ୍ଦାଜ କୋଡିଏ । ସୁନ୍ଦର ରୂପ ଯେମନ୍ତ ଗୋଟିଏ ଚାଉଳରେ ଗଢା । ପିଲାଦିନେ ପିହୁଳା ରୋଗ ହୋଇଥିଲା । ତା ମାଁ ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା । ସେ ଚିହ୍ନ ଆଜିଜାଏ ଅଛି । ହେଲେ ସେ ଚିହ୍ନ ତାକୁ ମାନେ । ବାସୁଦେବ ପିଲାକାଳରୁ ମା ବାପ ଛେଉଣ୍ଡ, ମାମୁ ଘରେ ରହି ମଣିଷ ହୋଇଛି । ବାସୁଦେବ ଜାତିରେ କରଣ , ଶ୍ୟାମବନ୍ଧୁ ମଧ୍ୟ କରଣ । କେବେ ପୂନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହିଆସେ , “ବାପା ବସୁ ! ସଞ୍ଜବେଳେ ଟିକିଏ ଆମ ଘରକୁ ଯିବ , ତୁମ ମାଉସୀ ଡାକିଛନ୍ତି ।” ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି । ରେବତୀ ବାସୁକୁ ଦେଖିଲେ କହେ “ଆହା, ମା ଛେଉଣ୍ଡଟି, କଣ ଖାଏ – କିଏ ତା ଖାଇବା ଦେଖୁଛି ।” ବାସୁ ପ୍ରତିଦିନ ସଞ୍ଜ ବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡିଏ ଅଧେ ବସି ଆସେ । ବାସୁକୁ ଦୂରରୁ ଦେଖିଲେ ” ବାସୁଭାଇ ଅଇଲେ, ବାସୁଭାଇ ଅଇଲେ” ବୋଲି ରେବତୀ ପାଟିକରି ବାପକୁ କହେ । ରେବତୀ ସଞ୍ଜ ବେଳେ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନଗୁଡିକ ବାସୁକୁ ସୁଣାଏ । ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ । ଦିନେ ଏ କଥା ସେ କଥା ପଡୁ ପଡୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ ଅଛି, ସେଠାରେ ଝିଅମାନେ ପଢନ୍ତି, ଲୁଗାସିଆଁ ଶିଖନ୍ତି । ସେହି ଦିନଠାରୁ ରେବତୀକୁ ପାଠ ପଢାଇବାକୁ ଶ୍ୟାମବନ୍ଧୁର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲା । ବାସୁ ଶ୍ୟାମବନ୍ଧୁକୁ ପିତୃତୁଲ୍ୟ ମାନେ , କହିଲା “ଆଜ୍ଞା, ମୁଁ ସେହି କଥାଟା କହିବି କହିବି ହେଉଥିଲି ” ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢାଇବାର ସ୍ଥିର ହେଲା । ରେବତୀ ପାଖରେ ବସି ଶୁଣୁଥିଲା, ଦୁଇ ଚିଲାରେ ଘର ଭିତରକୁ ଯାଇ ମାକୁ ଆଉ ଜେଜୀକୁ, “ମୁଁ ପାଠ ପଢିବି , ମୁଁ ପାଠ ପଢିବି ” ଖବର ଦେଲା । ମା କହିଲେ “ହଉ ହଉ ପଢିବୁ ।” ଜେଜୀ କହିଲା , “ପାଠ କ’ଣ ଲୋ ? ମାଇକିନିଆ ଝିଅଟା ପାଠ କ’ଣ ? ରନ୍ଧାବଢା ଶିଖ , ପିଠାପଣା କରି ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କଣ ?”
ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବ କାଠ ପିଢା ଉପରେ ବସି ଭାତ ଖାଉଛନ୍ତି, ରେବତୀ ସାଙ୍ଗରେ ବସି ଖାଉଛି । ବୁଢୀ ଆଗରେ ବସି – ‘ଭାତ ପୁଞ୍ଜାଏ ଆଣ; ଡାଲି ପାଣି ଟିକିଏ ପକେଇ ଯା , ଲୁଣ ଟିକିଏ ଦେ’ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି । କଥାରେ କଥାରେ ବୁଢୀ କହି ବସିଲେ ,”ହଁ ରେ ଶ୍ୟାମ ! ରେବୀ ପାଠ ପଢ଼ିବ – ପାଠ କ’ଣ ରେ, ତିରିଲା -ଝିଅର ପାଠପଢା କଣ ?” ଶ୍ୟାମବନ୍ଧୁ କହିଲେ. “ହେଉ କହୁଛି ତ ପଢୁ । ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲି ପାରନ୍ତି, ବୈଦେହୀଶ ବିଲାସ ଛାନ୍ଦ ଗାଆନ୍ତି ।” ରେବତୀ ଭାରି ଖପା ହୋଇ ଯାଇ ଜେଜୀ କୁ ଗାଳି ଦେଇ କହିଲା , “ଯା ଲୋ ବୁଢୀ ଡୁଗୁରିଟା ।” ତାହା ବାଦ ଅଳି କରି ବାପାକୁ କହିଲା, “ନାଁ ବାଁପାଁ -ନାଁ ବାଁପାଁ ମୁଁ ପାଁଠ ପଁଢିବିଁ ।” ଶ୍ୟାମବନ୍ଧୁ କହିଲେ, “ହଁ – ହଁ – ତୁ ପଢ଼ିବୁ ।” ସେଦିନ କଥା ଏତିକି ।
ତହିଁ ଆରଦିନ ଉପର ଓଳି ବାସୁଦେବ ସୀତାନାଥ ବାବୁଙ୍କ ପ୍ରଥମ ପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ ଖୁସି ହୋଇ ବାପା ପାଖରେ ବସି କିତାପର ମୂଳ ପୁଡାଠାରୁ ଶେଷପୁଡା ଓଲଟାଇ ଓଲଟାଇ ଦେଖିଲା । ସେଥିରେ ହାତୀ,ଘୋଡା,ଗୋରୁ ଇତ୍ୟାଦିର ଛବି ଦେଖି ଭାରି ଖୁସି ହୋଇଗଲା । ରାଜାମାନେ ହାତୀ ଘୋଡା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ ଘୋଡା ଚଢି ଖୁସି ହୁଏ, ଆମ ରେବୀ ଛବିଟା ଦେଖି ଖୁସି । ରେବୀ ଧାଇଁ ଯାଇ ମା’କୁ କିତାପର ଛବି ସବୁ ଦେଖେଇଲା; ତାହା ବାଦ ଜେଜୀକୁ ଦେଖାଇଲା । ଜେଜୀ କିଞ୍ଚିତ ବିରକ୍ତ ହୋଇ କହିଲା,”ହଁ-ଯା -ଯା ।” ରେବୀ ତାକୁ ‘ଦୂର ଦୂର’ ଗାଳି ଦେଇ ଫେରି ଆସିଲା ।
ଆଜି ଦିନଟି ଭଲ-ଶ୍ରୀପଞ୍ଚମୀ । ରେବତୀ ସକାଳୁ ବୁଡ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଛି,ବାସୁ ଭାଇ ଆସିଲେ କିତାପ ପଢ଼ାଇ ଦେବ । ବୁଢୀ ଭୟରେ ବିଦ୍ୟାରମ୍ଭର ଆୟୋଜନ କିଛି ହୋଇ ନାହିଁ । କେବଳ ଛ ଘଡି ସମୟରେ ବାସୁ ଯାଇ ପଢ଼େଇ ଦେଲା,ସ୍ଵରେ -ଅ , ସ୍ଵରେ -ଆ, ହ୍ରସ୍ଵ -ଇ, ଦୀର୍ଘ-ଈ, ହ୍ରସ୍ଵ-ଉ, ଦୀର୍ଘ-ଊ, ଇତ୍ୟାଦି । ପ୍ରତିଦିନ ପଢ଼ା ଚାଲିଲା, ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼େଇ ଦିଏ । ଦୁଇ ବରଷ ମଧ୍ୟରେ ରେବତୀ ଢ଼େର ପଢ଼ିଗଲାଣି । ମଧୁରାଓ ଛାନ୍ଦ ମାଳ ପଢ଼ିଯିବା ବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ ।
ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ ମା’ପୁଅ ଦୁଇ ଜଣ କଥାବାର୍ତ୍ତା ହେଲେ । ପୂର୍ବେ ବୋଧକରୁଁ କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର ।
ଶ୍ୟାମବନ୍ଧୁ – କି ମା,ଭଲ ହେବ ନାହିଁ କି ?
ବୁଢୀ-ହଁ ଭଲ ତ ହେବ; ଜାତି କଥା ଟା ବୁଝିଛୁ ନା?
ଶ୍ୟାମବନ୍ଧୁ – ମୁଁ ଆଜିଯାଏ ଆଉ କଣ ବୁଝୁଥିଲି ? ଭଲ କରଣ, ଗରିବ ପୁଅ ହେଲେ କଣ ହେବ, ଜାତି ଭଲ ।
ବୁଢୀ- ଧନ ଦଉଲତ ନାହିଁ ବିଚାର,
ଜାତି କଥାଟା ଆଗେ ପଚାର ।
ଘରେ ରହିବ ତ ?
ଶ୍ୟାମବନ୍ଧୁ – ଘରେ ନ ରହି ଆଉ କୁଆଡେ ଯିବ ? ହଜାର ହେଲେ ମାମୁ ମାଈଁ ନା, ଆଉ କଣ?
ରେବତୀ ପାଖରେ ବସି ଭାତ ଖାଉଥିଲା, ଏହି କଥାର ମର୍ମ ସେ କଣ ବୁଝିଲା ସେ ଜାଣେ; ମାତ୍ର ସେହି ଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟ ରକମ ଦେଖୁଅଛୁଁ । ତାକୁ ବାପା ଆଗରେ ବାସୁଭାଇ ପଢ଼ାଇଦେଲେ କିପରି ଗୋଟାଏ ଲାଜ ମାଡ଼େ; ଅକାରଣ ସକାରଣ ସବୁବେଳେ ହସ ମାଡ଼େ, ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ । ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ, ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ । ପ୍ରତିଦିନ ସଞ୍ଜବେଳେ ଦାଣ୍ଡ ଦୁଆର କବାଟକୁ ଧରି କାହାକୁ ଚାହିଁଥାଏ,ବାସୁ ଆସିଲେ ଘରକୁ ପଳାଏ, ପାଞ୍ଚ ଡାକରେ ବାହାରେ ନାହିଁ । ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢୀ ଖପା ହୁଏ ।
ଦେଖୁଁ ଦେଖୁଁ ପଞ୍ଚମୀକୁ ପଞ୍ଚମୀ ଦୁଇ ବରଷ ହୋଇ ଗଲାଣି । ବିଧାତାଙ୍କର ବିଧାନ କାହାର ଦିନ ସମାନଭାବରେ ଯିବ ନାହିଁ । ଫଗୁଣ ମାସିଆ ଦିନ, କାହିଁ କିଛି ନାହିଁ, ଅଚାନକ କାହୁଁ ବାଡ଼ି ଆସିଲା – ସକାଳେ ଗ୍ରାମରେ ଶୁଣାଗଲା, ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡ଼ି ଧରିଛି । ମଫସଲ ଗାଁରେ ବାଡି ପଡ଼ିଲେ ତାଟି କବାଟ ପଡ଼ିଯାଏ । ବାଡ଼ି ବୁଢୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି, ଏପରି ସମସ୍ତେ ମଣନ୍ତି । ଦୁଆରକୁ କାହାରି ଆସିବାର ନାହିଁ । ମାଇକିନିଆ ଦୁଇଟା କଣ କରିବେ । ପିଲାଟା ଡକା ପାଡି ଘର ବାହାର ହେଉଛି । ବାସୁଦେବ ଶୁଣି ସ୍କୁଲ ଛାଡି ଧାଇଁଲା । ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ, ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ, ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ । ବେଳ ତିନିପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲା , “ବାଁ-ସୁଁ ଏଁ-ବଁ ଆଁ-ଗିଁ-ଲା” । ବାସୁ ଭୋ ଭୋ କରି ଡକା ପାଡିଲା । ଘରେ ଚହଳ ପଡିଗଲା । ରେବତୀ ଭୁଇଁରେ ପଡ଼ି ଗଡୁଥାଏ, ଗ୍ରାମର ଲୋକେ ଶୁଣି କହିଲେ, ହୋଇଗଲା ପରା । ଦେଖୁଁ ଦେଖୁଁ ସଞ୍ଜ ବେଳକୁ କିଛି ନାହିଁ । କଣ କରିବେ – ବାସୁଦେବଟା କାଲିକା ପିଲା, ଆଉ ଦୁଇଟା ଭୁଆସୁଣୀ । ଗ୍ରାମର ବନ ଶେଠି ଧୋବା ଜଣେ ଜାଣିବା ଶୁଣିବା ଲୋକ, ତା ଦେହକରେ ପଚାଶ କି ଷାଠିଏ ପାର କଲାଣି । କାଲି ହେଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ, ଲୁଗାପଟା ଦିଖଣ୍ଡ ମଧ୍ୟ ମିଳିବାର ଭରସା । ଗାମୁଛାଟାଏ ଅଣ୍ଟାରେ ଭିଡିଦେଇ କୁରାଢୀଟାଏ କାନ୍ଧରେ ପକାଇ ହାଜର ହୋଇଗଲା । ଗ୍ରାମରେ କରଣ ସେହି ଘରକ; ଶାଶୁ, ବୋହୂ, ବାସୁଦେବ ତିନିଜଣ ଧରାଧରି କରି କର୍ମ ଚଳାଇଲେ । ସେ ସମୟର କଥା ଗୁଡାକ ଲେଖିବାକୁ ଆଉ ହାତ ଚଳୁ ନାହିଁ । ଶ୍ମଶାନରୁ ଫେରି ଆସିବା ବେଳକୁ କୁଆତରା ଉଇଁଲାଣି । ଘରେ ପଶିବା ମାତ୍ରକେ ରେବତୀମା ପୋଖରୀପାଣି ଗଲା, ଦେଖୁଁ ଦେଖୁଁ ଦିନ ଦ୍ଵିପ୍ରହର ବେଳେ ଗ୍ରାମରେ ହାଟ ହେଲା, ରେବତୀ ମା ନାହିଁ ।
ଦିନ ଚାଲିଯାଏ କାହାରି ଲାଗି ଦିନ ବସି ରହେ ନାହିଁ । କହାର ପାଲିଙ୍କି ଉପରେ ପାଟଛତା, କାହାର ବେଢି ଉପରେ କୋରଡା । ଦିନ ଯାଉଛି ସମସ୍ତଙ୍କର ଯିବ ସମସ୍ତଙ୍କର । ଦେଖୁଁ ଦେଖୁଁ ତିନିମାସ କଟିଗଲାଣି । ଶ୍ୟାମବନ୍ଧୁଙ୍କ ଘରେ ଦୁଇ ଗୋଟି ଗାଈ ଥିଲେ, ତହବିଲ ବାକି ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ବାନ୍ଧି ଘେନିଗଲେ । ଆମ୍ଭେମାନେ ଜାଣୁଁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବନିର୍ମାଲ୍ୟ ପରି ଜ୍ଞାନ କରେ, ଟଙ୍କାଟିଏ ଅସୁଲ ହେଲେ ପୈଠ ନ କରିବାଯାଏ ତାହାର ନିଦ ନାହିଁ । ମାତ୍ର ତାହା ଉପରେ ଟଙ୍କା ଥାଉ ବା ନ ଥାଉ, ଗାଈ ଦୁଓଟି ବଡ ଦୁଧିଆଳୀ, ଏ କଥା ପୂର୍ବରୁ ଜମିଦାରଙ୍କୁ ଜଣାଥିଲା । ତାହା ଛଡା ଜମିଦାର ଜମିଦାର ଚଷିବାକୁ ଯେ ତିନିମାଣ ଜମି ଦେଇଥିଲେ, ତାହା ଛଡାଇ ନେଲେଣି । ହଲିଆଟା ବା ଘରେ ଆଉ କିଆଁ ରହିଵ ? ଦୋଳପୂର୍ଣିମା ଦିନ ସେ ଛାଡି ଗଲା । ବଳଦ ଦୁଇଟା ସାଢ଼େସତର ଟଙ୍କା ରେ ବିକା ଯାଇଥିଲା, ଦୁଇଜଣଙ୍କ କ୍ରିୟାରେ ଖରଚ ଯାଇ ଯାହା ବଳିଥିଲା, ସଟାବଟା କରି ମାସେ ଚଳିଲା । ଆଜି ଢାଳଟା କାଲି ପିତ୍ତଳଟା ବିକାବଟା ବନ୍ଧାଛନ୍ଦାରେ ଆଉ ମାସେ ଗଲା । ବାସୁ ଦୁଇ ଓଳି ଦୁଆରକୁ ଆସେ, ରାତି ଘଡ଼ିଏଯାଏଁ ଥାଏ, ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ । ବାସୁ କିଛି ଟଙ୍କା ପଇସା ଦେଲେ ଆଈ ବା ନାତୁଣୀ କେହି ନିଅନ୍ତି ନାହିଁ । ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡ଼ିଥାଏ । ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ । ବୁଢୀ ପାଖରୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ, ସେହି ଦୁଇ ପଇସାର ସଉଦାରେ ଆଠ ଦଶ ଦିନ ଚଳି ଯାଏ । ଘରର ଚାଳ ଉଡି ଗଲାଣି , ଛାଉଣି ଦରକାର । ବାସୁ ଦୁଇ ଟଙ୍କାର ନଡା କିଣି ବାଡ଼ିରେ ଗଦେଇ ଅଛି, ଶରଣ ହେବାରୁ ଛପରବନ୍ଦି ହୋଇପାରି ନାହିଁ । ବୁଢୀ ଏବେ ଆଉ ଦିନ ରାତି ବସି କାନ୍ଦେ ନାହିଁ । ସଞ୍ଜ ହେଲେ ବସି କାନ୍ଦେ । କାନ୍ଦି କାନ୍ଦି ତଳେ ପଡି ଯାଏ, ସେହି ଠାରେ ରାତି କାଟେ । ରେବତୀ ଧକେଇ ଧକେଇ ପାଖରେ ପଡିଯାଏ । ବୁଢୀ ଆଖିକି ଏବେ ଭଲ ଦିଶୁ ନାହିଁ । ଏବେ ସେ କାନ୍ଦିବାର ଊଣା କରି ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି । ଏତେ ଯେ ଦୁଃଖ ଏତେ ଯେ ଦୁର୍ଦ୍ଦଶା ସବୁର ମୂଳ କାରଣ ରେବତୀ, ଏହା ସେ ମନ ମଧ୍ୟରେ ସ୍ଥିର ସିଦ୍ଧାନ୍ତ କରି ସାରିଲାଣି । ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡି ଗଲା, ବଳଦ ବିକା ଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ କୁଢ଼ଙ୍ଗୀ, ସେ ଲକ୍ଷ୍ମୀଛାଡ଼ି । ବୁଢୀ ଆଖିକୁ ଯେ ଦିଶୁ ନାହିଁ, ତାହାର କାରଣ ରେବତୀର ପାଠ ପଢା । ବୁଢୀ ଗାଳି ଦେଲାବେଳେ ରେବତୀ ଆଖିରୁ ଦୁଇଧାର ବହିଯାଏ, ଡରେ ବୁଢୀ ପାଖରେ ଛିଡା ହୋଇ ପାରେ ନାହିଁ । ବାଡି ଦୁଆରେ, ନୋହିଲେ ଘର କୋଣରେ ମୁହଁ ଘୋଡାଇ କାଠଟି ପରି ବସିଥାଏ । ବାସୁ ମଧ୍ୟ ଦୋଷୀ, କାରଣ ରେବତୀତ ଏତେ ଦିନ ଯାଏ ପଢ଼ି ନଥିଲା, ସେହି ଆସି ସିନା ପଢ଼ାଇ ଦେଲା । ମାତ୍ର ବୁଢୀ ବାସୁକୁ କିଛି କହିପାରେ ନାହିଁ, ବାସୁ ନହେଲେ ଘର ଦଣ୍ଡେ ଅଚଳ, ପୁଣି ଜମିଦାର ଘର ଲଟ ଛିଡି ନାହିଁ । ଜମିଦାର ଘର ଲୋକ ଆସି ଆଜି ଏ ହିସାବଟା କାଲି ସେ ହିସାବଟା ମାଗେ । ବାସୁ ନହେଲେ ପାଞ୍ଜି ବିଡାରୁ ପଢ଼ି ପତର କାଢ଼ି ଦେବ କିଏ ? ବାସୁ ନଥିବା ବେଳେ ସହଜ କଥାରେ କେବେ ଆପଣା ମନ୍ତ୍ୟବ ପ୍ରକାଶ କରିଥାଏ । ରେବତୀ ଆଉ ଏଣିକି ସେହି ଗୃହ ପ୍ରାଙ୍ଗଣସଞ୍ଚାରିଣୀ ଲିଲାମୟୀ ପ୍ରତିମା ନୁହେଁ, ତାହା ପାଟି ଆଉ କେହି ଶୁଣି ନାହିଁ, ବାପ ମା ଗଲା ଦିନୁ ତାକୁ ଦାଣ୍ଡ ଦୁଆରେ ଆଉ କେହି ଦେଖି ନାହିଁ । କେତେ ଦିନ ଯାଏ ଭୋ ଭୋ କରି ଡ଼କା ପାରୁଥିଲା । ଏବେ ଆଉ ପାଟି ବନ୍ଦ କରି କାନ୍ଦେ ନାହିଁ । ମାତ୍ର ଦିବା ରାତ୍ର ତାହାର ବଡ଼ ବଡ଼ ଆଖି ଦୁଇଟା ସାନ ସାନ ନୀଳକଇଁ ପରି ପାଣିରେ ଢଳ ଢଳ ହେଉଥାଏ । ତାହାର କ୍ଷୁଦ୍ର ପ୍ରାଣ – ତହିଁ ରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗି ଯାଇଛି । ତା ପକ୍ଷରେ ବର୍ତ୍ତମାନ ଦିନ ରାତି ସମାନ । ସୁର୍ଯ୍ୟର ଆଲୁଅ ନାହିଁ, ରାତିରେ ଅନ୍ଧାର ନାହିଁ ସମସ୍ତ ଜଗତଶୂନ୍ୟ ! କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟ ପୂର୍ଣ୍ଣ କରିଅଛି । ମା ଏହିଠାରେ ବସିଛନ୍ତି, ବାପା ଚାଲି ଯାଉଛନ୍ତି, ତାହା ଆଖିରେ କେବଳ ଏହି ଦୁଇଟା ଦିଶୁଅଛି । ବାପ ମା ମରି ଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ, ଏକଥା ସେ ବିଶ୍ଵାସ କରି ପାରୁ ନାହିଁ । ପେଟରେ ଭୋକ ନାହିଁ , ଆଖିରେ ନିଦ ନାହିଁ , ଦିବା ନିଶି ଅନୁଷଣ ପିତା ମାତା ଧ୍ୟାନ । ଜେଜୀମା ଡରରେ ଖାଇବାକୁ ବସେ । ଭୂଇଁରୁ ପ୍ରାୟ ଉଠେ ନାହିଁ । ଦେହରେ ହାଡ଼ ଚମ ଦୁଇଖଣ୍ଡ ଧୁଡ଼ ଧୁଡ଼ ହେଉଛି । କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ, ବଡ଼ ବଡ଼ ଆଖି ଦୁଇଟାରେ ଜଳ ଜଳ କରି ବାସୁକୁ ଚାହିଁ ଥାଏ, ବାସୁ ଅନାଇଲେ ସାନ ନିଶ୍ଵାସଟାଏ ପକାଇ ମୁଣ୍ଡ ପୋତି ଦିଏ । ବାସୁ ପାଖରେ ଥିବାଯାଏ ତାହାକୁ ଚାହିଁ ରହିଥାଏ । ତେତେବେଳେ ତାହାର ଆଉ କିଛି ଜ୍ଞାନ ନ ଥାଏ- ଆଖିରେ ବାସୁଦେବ, ଚିନ୍ତା ବସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ ।
ଶ୍ୟାମବନ୍ଧୁ ମରିବାର ଆଜିକୁ ହାତଗଣତିରେ ପାଞ୍ଚ ମାସ, ଜ୍ୟୋଷ୍ଠମାସିଆ ଦିନ, ଠିକ ଦିନ ଦୁଇ ପ୍ରହର ବେଳେ ବାସୁ ଦୁଆରେ ଡାକିଲା । ଏତେବେଳେ ସେ କୌଣସି ଦିନ ଆସେ ନାହିଁ । ବୁଢୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା । ବାସୁ କହିଲା – “ଜେଜୀମା, (ବାସୁ ବୁଢୀ କୁ ଜେଜୀମା ବୋଲି ବରାବର ଡାକେ) ଦିପୋଟି ଇନସ୍ପେକ୍ଟର ହରିହରପୁର ଥାନାରେ ବସି ପାଠ ଶାଳା ପିଲା ମାନଙ୍କୁ ପାଠ ପଚାରିବେ, ସବୁ ସ୍କୁଲର ପିଲା ମାନେ ଯିବେ, ମୋ ପାଖକୁ ଚିଠି ଆସିଛି, ମୁଁ ପିଲା ମାନଙ୍କୁ ନେଇ କାଲି ସକାଳେ ଯିବି, ପାଞ୍ଚ ଦିନ ଲାଗିବ ।” ରେବତୀ କବାଟ କଣରେ ଛିଡା ହୋଇ ଶୁଣୁଥିଲା, ଲଥକରି ବସି ପଡ଼ିଲା, ଭାଗ୍ୟେ କବାଟ ଧରିଥିଲା, ନୋହିଲେ ପଡ଼ି ଯାଇଥାନ୍ତା । ବାସୁ ପାଞ୍ଚ ଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇ ବୁଢୀକୁ ଜୁହାରଟାଏ ହୋଇ ଶନିବାର ମୁହଁ ସଞ୍ଜ ବେଳେ ବାହାରିଲା । ବୁଢୀ କହିଲା, “ବାପା,ଖରାରେ ବୁଲିବୁ ନାହିଁ, ଦେହ ପାଆକୁ ଚାହିଁବୁ, ବେଳରେ ଦିଟା ତୁଣ୍ଡକୁ ଦେବୁ ।” ଏହା କହି ନିଶ୍ଵାସଟାଏ ପକାଇଲା । ରେବତୀ ଏକଧ୍ୟାନରେ ବାସୁକୁ ଚାହିଁ ଥାଏ, ଆଜିକା ଚାହାଣି ଥାଏ ଅନ୍ୟ ରକମ । ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା, ଆଜି ସେ ଭାବ ନାହିଁ , ଏକ ଧ୍ୟାନରେ ବାସୁକୁ ଚାହିଁ ରହିଛି । ବାସୁର ମଧ୍ୟ ଆଜି ଆଗକା ଚାହାଣି ନୁହେଁ । ଆଗେ ବାସୁର ଯେମନ୍ତ ଖୁବ ଇଚ୍ଛା – ରେବତୀକୁ ଭଲ କରି ଦେଖିବ, କିନ୍ତୁ ଅନାଇ ପାରେନାହିଁ । ଆଜି ଚାରି ଚକ୍ଷୁର ମିଳନ, ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ । ବାସୁ ଚାଲି ଗଲାଣି, ଆଉ ଦିନ ନାହିଁ, ଘର ବାହାର ଅନ୍ଧାର ପୂରୀ ଗଲାଣି । ରେବତୀ ଯେପରି ଚାହିଁଥିଲା, ସେହିପରି ଚାହିଁ ଅଛି । ବୁଢୀ ଡାକିବାରୁ ତାହାର ଚେତନା ହେଲା, ଘର ବାହାର ସମସ୍ତ ଅନ୍ଧକାରମୟ ।
ରେବତୀ ବସି ଦିନ ଗଣୁଛି, ଆଜି ଛ ଦିନ । ବାପ ମା ଗଲା ଦିନୁ ଦାଣ୍ଡ ଦୁଆର ଦେଖି ନ ଥିଲା, ଆଜି ସକାଳୁ ଦାଣ୍ଡ ଦୁଆରେ ଦୁଇଥର ମୁହଁ ମାରି ଗଲାଣି । ବେଳ ଅନ୍ଦାଜ ଛ ଘଡି, ହରିହରପୁରରୁ ସ୍କୁଲ ପିଲା ମାନେ ଫେରି ଆସିବା ମାତ୍ରେ ଲୋକେ ବୋଲା ବୋଲି ହେଲେ – ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡି ଧଇଲା, ଚାରି ଥର ପୋଖରୀପାଣି ହେଲା ଅଧରାତି ବେଳେ ଚାଲିଗଲେ । ଗ୍ରାମ ଲୋକ ମାନେ ହାୟ ହାୟ କଲେ, ପୁଅ, ଝିଅ, ମା, ମାଇକିନିଆ ମାନେ ପାଟି କରି କାନ୍ଦି ପକାଇଲେ । କେହି କହିଲା – ଆହା କି ରୂପରେ ! କେହି କହିଲା – କି ଧୀରରେ ! କେହି କହିଲା – ଦାଣ୍ଡରେ ଚାଲିଯାଉଥିବ ଯେ ମାଛି ଟିକିଟିକି ମର କହିବ ନାହିଁ ।
ରେବତୀ ଶୁଣିଲା , ବୁଢୀ ଶୁଣିଲା । ବୁଢୀ କାନ୍ଦି କାନ୍ଦି ତାହା କଣ୍ଠ ରୁନ୍ଧି ହୋଇଗଲା, ଆଉ କାନ୍ଦି ପାରିଲା ନାହିଁ, ଶେଷରେ ଉଠି କହିଲା-“ଆହା ବାପା,ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରେଇଲୁ ରେ ! ଅର୍ଥାତ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢେଇବାରୁ ମରିଗଲା, ନୋହିଲେ କେଭେ ମରି ନ ଥାନ୍ତା । ଶୁଣିଲା ବେଳୁ ରେବତୀ ଘରେ ଯାଇ ପଡିଛି । ସୋର ଶବ୍ଦ ନାହିଁ । ସେ ଦିନଟା ଗଲା , ତହିଁ ଆରଦିନ ସକାଳେ ବୁଢୀ ରେବତୀକୁ ପାଖରେ ନ ଦେଖି ପାଟି କରି ଡାକିଲା “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୂଲି ।” ବୁଢୀ ବାୟାଣୀ ପରି ହୋଇ ଗଲାଣି , କାନ୍ଦ ବୋବାଳି ନାହିଁ, କେବଳ ରାଗରେ ଦିନରାତି ରେବତୀକୁ ଗାଳି । ପଡ଼ିଶା ଲୋକେ, ଦାଣ୍ଡଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଛନ୍ତି , “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୂଲି !” ବୁଢୀ ଆଖିକୁ ଦିଶୁ ନାହିଁ, ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା, ଜବାବ ନ ପାଇ ତା ଦେହରେ ହାତ ବୁଲାଇ ଦେଖିଲା, ଭାରୀ ଜର, ଦେହରୁ ନିଆଁ ବାହାରୁଛି ଜ୍ଞାନ ନାହିଁ । କଣ କରିବା, କାହାକୁ ଡାକିବ । ମନ ମଧ୍ୟରେ ଜଗତ ସଂସାର ଖୋଜିଲା, ପାଖରେ କାହାକୁ ଦେଖିଲା ନାହିଁ । କିଛି ସ୍ଥିର କରି ନ ପାରି ଖପା ହୋଇ କହିଲା , “ଯାହା ଆପଣାକିଆ, ତହିଁକା ଇଲାଜ କିଆଁ ?” ଅର୍ଥାତ ତୁ ପାଠ ପଢ଼ିବାରୁ ଜର ହେଲା, ମୁଁ କଣ କରିବି ?
ଦିନେ ଗଲା, ଦୁଇ ଦିନ ଗଲା, ତିନି ଦିନ ଗଲା, ଚାରି ଦିନ ଗଲା, ପାଞ୍ଚ ଦିନ ଗଲା, ରେବତୀ ମାଟିରେ ଲାଗି ଯାଇଅଛି, ଆଖି ଫିଟାଉ ନାହିଁ, ଡାକିଲେ ଉତ୍ତର ନାହିଁ, ଉଁ ଚୁଁ ହେବାକୁ ମଧ୍ୟ ନାହିଁ । ଆଜି ଛ ଦିନ, ରେବତୀ ସକାଳୁ ଦୁଇ ଚାରି ଥର ପାଟି କଲାଣି, ବୁଢୀ ପାଟି ଶୁଣି ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ ହାତ ଶୀତଳ, ଡାକିଲେ ହୁଁ ହୁଁ ଜବାବ ଦେଲା । କଟମଟ କରି ମୁହଁକୁ ଚାହୁଁଅଛି, କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକାଉଅଛି । କୌଣସି କବିରାଜ ଦେଖିଲେ “ତୃଷ୍ଣ ଦାହଃ ପ୍ରଳାପଶ୍ଚ” ଇତ୍ୟାଦି ଶ୍ଳୋକ ପଢ଼ି କହନ୍ତେ , “ସନ୍ନିପାତସ୍ୟ ଲକ୍ଷଣଂ । ” ମାତ୍ର ବୁଢୀ କିଛି ଖୁସି ହେଲା । ଦେହରେ ତାତି ନାହିଁ; କଥା କହୁନଥିଲା, ପାଟି ଫିଟାଇଲାଣି; ପାଣି ପିଇବାକୁ ମାଗିଲାଣି, ଛ ଦିନ ହେଲା ଜିଭରେ ପାଣି ଟୋପାଏ ବାଜିନାହିଁ, ଚାରିଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ । “ତୁ ଶୋଇଥା, ମୁଁ ଚାରିଟା ପଥି ରାନ୍ଧି ଆଣେଁ ,” ଏହା କହି ବୁଢୀ ବାହାରକୁ ବାହାରି ଆସିଲା । ପଥି ରାନ୍ଧିବ କଣ? ଘରେ ପାଛିଆ କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା; ମୁଠାଏ ଚାଉଳ ନାହିଁ । ନିଶ୍ଵାସଟାଏ ପକାଇ ଘଡ଼ିଏ ବସିଲା । ବାସୁ ପାଞ୍ଚ ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା, ସେଥିରେ ଦଶ ଦିନ କିଆଁ ଚଳିଗଲା, ବୁଢୀର ଦୃଷ୍ଟି ଶକ୍ତି ଥିଲେ ବୁଝି ପାରିଥାନ୍ତା । ବସି ବିଚାର କଲେ ବୁଦ୍ଧି ଦିଶେ । ଘରେ କଂସା ବାସନ କିଛି ନାହିଁ; ହାତରେ ଗୋଟାଏ କଣା ଢାଳ ପଡ଼ିଲା, ସେହିଟା ଧରି ହରି ସା ଦୋକାନକୁ ବାହାରିଲା । ହରି ସା ଘର ଗ୍ରାମ ମଝିରେ, ତାହାର ରୀତିମତ ଦୋକାନ ନାହିଁ । ଚାଉଳ, ଡାଲି,ଲୁଣ, ତେଲ ରଖିଥାଏ ; କୌଣସି ଦିନ ବିଦେଶୀ ଲୋକ ପହଞ୍ଚିଗଲେ କିଣନ୍ତି । କେବେ ହେଲେ ଗ୍ରାମଲୋକଙ୍କର କିଛି ଦରକାର ହେଲେ କିଣନ୍ତି । ବୁଢୀ ଢାଳଟି ଧରି ହରି ସା ଦୁଆରେ ପହଞ୍ଚିଲା । ହରି ସା ବୁଢୀ ହାତରେ ଢାଳଟି ଦେଖି ଅର୍ଥଟା ବେଶ ବୁଝିଗଲା । ବୁଢୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ଚାରି ପାଖ ଦେଖି କହିଲା ; “ନାହିଁ ନାହିଁ ମୋ ଘରେ ଚାଉଳ ନାହିଁ; ଆଉ ଏହି କଣା ଢାଳଟା ରଖି କିଏ ଚାଉଳ ଦେବ ?” ହରି ଘରେ ଯେ ଚାଉଳ ନ ଥିଲା ତାହା ନୁହେ, ଦେବାକୁ ମଧ୍ୟ ଇଚ୍ଛା; ତେବେ ଶସ୍ତାରେ ନେବାର କଥା । ଚାଉଳ ନ ଥିବାର ଶୁଣି ବୁଢୀ ମୁଣ୍ଡରେ ତ ବଜ୍ର ପଡ଼ିଲା । କଣ କରିବି, ଝିଅଟା ଜରରୁ ଉଠିଛି, ତା ମୁହଁରେ କଣ ଦେବି ? ଘଡ଼ିଏ ବସିଗଲା; ବେଳ ବୁଡି ଆସିଲାଣି; ହରିକୁ ଦୁଇଥର ଅନଇଲା । ଯାଏ ଝିଅଟା କଣ କରୁଛି ଦେଖେଁ । ଢାଳଟି ଧରି ଉଠୁଛି, ହରି କହିଲା, “ଦିଅ ଦିଅ, ଢାଳଟା ଦିଅ, ଦେଖେଁ ଘରେ କଣ ଅଛି ।” ହରି ଢାଳଟା ରଖି ଚାରି ପାଞ୍ଚ ମାଣ ଚାଉଳ, ଅଧ ମାଣେ ଜାଇ, କିଛି ଲୁଣ ଦେଲା । ବୁଢୀ ଚାରି ଛ ଜାଗା ବସି ଉଠି ଘରେ ଆସି ପହଞ୍ଚିଲା । ଏ ପର୍ଯ୍ୟନ୍ତ ବୁଢୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ , ଦେହ ମନ କଥା କଣ କହିବୁଁ ? ଘରେ ପହଞ୍ଚି ରେବତୀ କୁ ଡାକିଲା । ତାହାର ବିଶ୍ଵାସ, ରେବତୀ ଭଲ ହୋଇଗଲାଣି, ପାଣି କାଢି ଦେବ , ସେ ଭାତ ରାନ୍ଧିବ । ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ ଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୂଲି ! ” ଜବାବ ନାହିଁ ।
ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢୁଛି; ଭୟାନକ ଯନ୍ତ୍ରଣା, ଦେହ କ୍ରମଶଃ ଶୀତଳ ହେଉଛି, ଜିଭ ଶୁଖିଲାଣି , ଭୟଙ୍କର ପିପାସା, ଜିଭଟା ଯେମନ୍ତ ଭିତରକୁ ଚାଲି ଯାଉଛି । ଥଣ୍ଡା ଜାଗାକୁ ଯିବାର ଇଚ୍ଛା , ଘର ଯାକ ଗଡ଼ି ଗଡ଼ି, ବାହାରକୁ ଆସିଲା, ସୁଖ ଲାଗିଲା ନାହିଁ । ବାଡ଼ି ଦୁଆରକୁ ଯାଇ ପିଣ୍ଡାରେ ବସିଲା । ଦିନ ଶେଷ ହୋଇ ଆସିଲାଣି, ଖୁବ ପବନ ବହୁଛି, ବାଡକୁ ଆଉଜି ବସିଲା । ବାଡ଼ି ଯାକ ଅନାଇଲା, ଏହି ବାପା ଗଲା ବରଷ କଦଳୀ ଲଗାଇ ଥିଲେ, ଭଣ୍ଡା ବାହାରିଲାଣି, ଦୁଇ ବରଷ ତଳେ ମା ଗୋଟିଏ ପିଦୁଡ଼ି ଗଛ ବାଡ଼ିରେ ରୋଇ ଥିଲେ, ରେବତୀ ଧାଇଁ ଧାଇଁ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା ସେ ଗଛ କେଡ଼େଟାଏ ହେଲାଣି, ଫୁଲ ଧରିଲାଣି । ସେ ଗଛ ଦେଖି ମା ମନରେ ପଡ଼ିଗଲେ । ବୁଦ୍ଧି ସ୍ଥିର ନାହିଁ, ମନ ଚଞ୍ଚଳ, ଲଗାଲଗି କିଛି କଥା ମନରେ ପଡୁ ନାହିଁ ; ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ଛାଡୁ ନାହିଁ । ସଞ୍ଜ ଗଡି ଗଲାଣି, ଗଛ ମୂଳରୁ ଡାଳ ଉଢାଳରୁ ଅନ୍ଧାର ଗୁଡାକ ବାହାରି ବାଡ଼ି ପୂରି ଗଲାଣି, ଆଉ କିଛି ଦିଶୁ ନାହିଁ । ଆକାଶକୁ ଚାହିଁଲା, ପହରିକିଆ ତାରାଟିରୁ ଧକଧକ ହୋଇ କିରଣ ବାହାରୁଛି । ଏକଧ୍ୟାନରେ ରେବତୀ ସେହି ତାରକୁ ଚାହିଁଅଛି, ଆଖିରେ ଆଉ ପଲକ ପଡୁ ନାହିଁ । ତାରାର ଆକାର କ୍ରମଶଃ ବଢ଼ି ଯାଉଛି, ଚକ୍ର ପରି ଆକାର ହୋଇ ଗଲାଣି, ଆହୁରି ବୃଦ୍ଧି, କ୍ରମଶଃ ଉଜ୍ଜ୍ଵଳ । ଆହା ଏ କି ମୂର୍ତ୍ତି ତାରା ମଧ୍ୟରେ ? ଶାନ୍ତିଦାୟିନୀ ପ୍ରେମମୟୀ ଆନନ୍ଦମୟୀ ମାତାଙ୍କର ଅଭୟା ମୂର୍ତ୍ତି ବସି ସ୍ନେହରେ କୋଳକୁ ନେବା ସକାଶେ ଡାକୁଛନ୍ତି । ମା ଦୁଇଗୋଟି କିରଣ ହସ୍ତ ବଢାଇ ଦେଲେ । ସେହି କିରଣ ଦିଓଟି ଆସି ଦୁଇ ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା । ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ, କେବଳ ନିଶ୍ଵାସ ଶବ୍ଦ । ସେ ଶବ୍ଦ କ୍ରମଶଃ ପ୍ରବଳ, ଖୁବ ଦୀର୍ଘ ନିଶ୍ଵାସ, ଶେଷରେ ମା ମା, ଦୁଇଥର ଅସ୍ପଷ୍ଟ ଶବ୍ଦ ଶୁଭିଲା । ବାଡ଼ି ନିସ୍ତବ୍ଦ ନୀରବ ।
ଏଣେ ବୁଢୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା,କେହି ନାହିଁ । ଘରଯାକ, ବାହାର ଅଗଣା, ଢେଙ୍କିତଳ , ଢେଙ୍କିଲାଞ୍ଜ କାହିଁ ନାହିଁ । ମନେ କଲା, ଜର ଭଲ ହୋଇ ଗଲାଣି ବାଡି ରେ ବୁଲୁଥିବ । ସେହି ଡାକ – ‘ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୂଲି ‘ । ବାଡି ଦୁଆରକୁ ଗଲା, ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା । ପିଣ୍ଡାଟା ଭୂମିଠାରୁ ଦୁଇ ହାତ ଉଚ୍ଚ, ହାତେ ଚଉଡା ।
“ମଲା, ତୁ ଏଇଠି ବସିଛୁ ?” ଦେହରେ ହାତ ଦେଇ ବୁଢୀ ପ୍ରଥମେ ଚମକି ପଡିଲା, ଆଉ ଥରେ ଭଲ କରି ଗୋଡଠାରୁ ମୁଣ୍ଡ ଯାଏ ହାତ ବୁଲାଇଲା, ନାକରେ ହାତ ଦେଇ ଗୋଟାଏ ଉତ୍କଟ ଶବ୍ଦ କଲା, ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲ ଦାଲ ଶବ୍ଦ !
ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତରେ ଆଉ କେହି ଦେଖି ନାହାନ୍ତି । ପଡୋଶି ମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣି ଥିଲେ –
“ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୂଲି !”
------------
Fakir Mohan Senapati's story explores themes of fate, tradition, and the struggles of women seeking independence, making it an allegory for the challenges surrounding female education and empowerment in a patriarchal society. Through Rebati, Senapati paints a picture of the cultural resistance to female education, indirectly sparking discourse on societal change in Odisha and across India. Though tragic, Rebati’s character has since become an icon, symbolizing resilience and the complex journey of women's liberation.
Today, Rebati is celebrated as a timeless piece of Odia literature that explores the impact of personal desires within societal constraints, showcasing Senapati's insightful storytelling and deep empathy for his characters. It remains a cornerstone of Odia literature, inspiring readers to reflect on the importance of education and the role of women in society.
0 Comments